****    ଓଡ଼ିଆ ମୋ ଭାଷା   ****

Say It proudly...

Join Us on Facebook

Ads Here

Sunday, October 23, 2016

ଓଡ଼ିଶାକୁ ବାତ୍ୟା ଭୟ! : ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବ ୨୭ ତାରିଖରୁ ଉପକୂଳ ଓଡ଼ିଶାରେ ପ୍ରଭାବ

ପ୍ରବଳ ବର୍ଷା, ପବନ ସମ୍ଭାବନା
ରାଜ୍ୟ ସରକାର ପ୍ରସ୍ତୁତ: ଏସ୍‌ଆର୍‌ସି
ଭୁବନେଶ୍ୱର : ଓଡ଼ିଶାର ଉପକୂଳବର୍ତୀ ଜିଲ୍ଲାମାନଙ୍କରେ ଏଥର କାଳୀପୂଜା ଓ ଦୀପାବଳି ଦୋହଲିଯିବା ଆଶଙ୍କା ଦେଖାଦେଇଛି। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏ ମଧ୍ୟରେ ଭୀଷଣକାୟ ଅବପାତ ରୂପ ନେଇସାରିଲାଣି। ଏହା ଖୁବ୍‌ଶୀଘ୍ର ବାତ୍ୟା ରୂପ ନେବା ସହିତ ଦିଗ ପରିବର୍ତନ କରି ଓଡ଼ିଶା ଉପକୂଳ ସଂଲଗ୍ନ ସମୁଦ୍ରରେ ଅଧିକ ଘନୀଭୂତ ହୋଇ ୨୭ ତାରିଖ ସକାଳେ ଭୀଷଣ ବାତ୍ୟା ରୂପ ନେଇପାରେ। ସେତେବେଳକୁ ସେଠାରେ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ପବନ ବହୁଥିବ। ଅପରାହ୍ନ ସାଢେ ପାଞ୍ଚଟା ବେଳକୁ ପବନର ବେଗ ବଢି ୧୨୦ କିଲୋମିଟର ଛୁଇଁପାରେ। ଏମିତି ଭୟ ଦେଖାଇଛି ପାଣିପାଗ ପୂର୍ବାନୁମାନ। ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବଡ଼ ଧରଣର ବର୍ଷା ଓ ପବନ ବହିବାର ସମ୍ଭାବନା ରହିଛି।  ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ଓଡ଼ିଶାର ସବୁ ବନ୍ଦରରେ ଆଜି ୧ନମ୍ବର ବିପଦ ସଙ୍କେତ ଦେଇଛି। 
୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡ଼ିଶାର ଉପକୂଳରେ ମହାବାତ୍ୟା ମାଡ଼ ହେବା ସହିତ  ଖିନ୍‌ ଭିନ୍‌ କରିଦେଇଥିଲା। ଏଣୁ ପାଣିପାଗ ବିଭାଗର ଏହି ପୂର୍ବାନୁମାନକୁ ନେଇ ଉପକୂଳ ଓ଼଼ଡ଼ିଶାରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ସ୍ୱତନ୍ତ୍ର ରିଲିଫ୍‌ କମିସନର ପ୍ରଦୀପ୍ତ କୁମାର ମହାପାତ୍ର ଗଣମାଧ୍ୟମକୁ ପ୍ରାଥମିକ ପ୍ରତିକ୍ରିୟା ଦେଇ କହିଛନ୍ତି, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣଝଡ଼ ୨୬ କିମ୍ବା ୨୭ ତାରିଖରେ ଓଡ଼ିଶାରେ ପ୍ରଭାବ ପକାଇବ ବୋଲି ଆଶଙ୍କା କରାଯାଉଛି। ଆସନ୍ତାକାଲି ପ୍ରକୃତ ଚିତ୍ର ଜଣାପଡ଼ିବ। ସମ୍ଭାବ୍ୟ ସ୍ଥିତିର ମୁକାବିଲା କରିବା ଲାଗି ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଚାଷୀ ବିଲରେ ଧାନ କାଟି ପକାଇଥିଲେ ୨୬ ତାରିଖ ପୂର୍ବରୁ ଉଠାଇ ନେବା ସହିତ ଖୋଲାସ୍ଥାନରେ ଥିବା ଧାନ ଘୋଡ଼ାଇ ରଖିବାକୁ ଶ୍ରୀ ମହାପାତ୍ର ପରାମର୍ଶ ଦେଇଛନ୍ତି।
ସମ୍ଭାବ୍ୟ ବାତ୍ୟା ସଂପର୍କରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଥିବା ତଥ୍ୟ ଆଧାରରେ ଆଞ୍ଚଳିକ ନିର୍ଦେଶକ ଡ. ଶରତ ସାହୁ କହିଛନ୍ତି, ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଧିକ ଘନୀଭୂତ ହୋଇ ଏ ମଧ୍ୟରେ ଗୋପାଳପୁରଠାରୁ ୯୫୦ କିଲୋମିଟର ଦୂରରେ ଭୀଷଣକାୟ ଅବପାତ ବା ଡିପ୍‌ ଡିପ୍ରେସନ୍‌ର ରୂପ ଧାରଣ କରିସାରିଛି। ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେଇ ମିଆଁମାର ଆଡ଼କୁ ଗତି କରିବାର ସମ୍ଭାବନା ରହିଛି। ଆଜି ଅପରାହ୍ନ ପରଠାରୁ ଭୀଷଣକାୟ ଏହି ଅବପାତର ଗତି ହଠାତ୍‌ କମିଯାଇଛି। ଏଥିସହିତ ଏହାଅଧିକ ଶକ୍ତିଶାଳୀ ହେବାରେ ଲାଗିଛି। ସେଠାରେ ଘଣ୍ଟା ପ୍ରତି ପାଖାପାଖି ୬୦ କିଲୋମିଟର ବେଗରେ ପବନ ବହୁଛି। ତେବେ ଏହା ବାତ୍ୟା ରୂପ ନେଇ ପ୍ରଥମେ ଉତ୍ତର-ଉତ୍ତର ପୂର୍ବ ବା ଉତ୍ତର ଆଡକୁ ଗତିକରିବ ଓ ପରେ ପୁଣି ଦିଗ ବଦଳାଇ ଉତ୍ତର-ଉତ୍ତର ପଶ୍ଚିମ ଆଡକୁ ଗତି କରିବ। କିଛି ସମୟ ପରେ ପୁଣି ଦିଗ ବଦଳାଇ ଉତ୍ତର ପଶ୍ଚିମ ଦିଗ ଅର୍ଥାତ୍‌ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗର ଆଡକୁ ଯାଇ ଭୀଷଣ ବାତ୍ୟାର ରୂପ ଧାରଣ କରିବ। ଏହାର ପ୍ରଭାବରେ ଓଡ଼ିଶାର କେନ୍ଦ୍ର ଓ ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି। ତେବେ ନିର୍ଦିଷ୍ଟ ଭାବେ ଓଡ଼ିଶାର କେଉଁ ଅଞ୍ଚଳକୁ ଛୁଇଁବ ବା ଓଡ଼ିଶା ସୀମା ଦେଇ ବଙ୍ଗଳାଦେଶ ଆଡକୁ ମୁହାଁଇବ, ତାହା ଆସନ୍ତାକାଲି ସ୍ପଷ୍ଟ ହୋଇପାରେ। 
ଡ. ସାହୁ କହିଛନ୍ତି, ଆସନ୍ତାକାଲି ଅର୍ଥାତ୍‌ ୨୪ ଓ ୨୫ ତାରିଖ ରାତିର ତାପମାତ୍ରା ଯଥେଷ୍ଟ କମିବ ଓ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ୨୬ ତାରିଖରେ ଅନୁଭୂତ ହୋଇପାରେ। ଆକାଶ ମେଘାଚ୍ଛନ୍ନ ହେବ ଓ ବର୍ଷା ସମ୍ଭାବନା ରହିଛି। ୩୦ ତାରିଖ ପର୍ଯ୍ୟନ୍ତ ଏହାର ପ୍ରଭାବ ଓଡ଼ିଶା ଉପକୂଳରେ ରହିପାରେ। କୃଷି ପାଣିପାଗ ବିଶାରଦ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପାଳକଙ୍କ ଆକଳନ ଅନୁସାରେ, ଆଜି ଅପରାହ୍ନ ସାଢେ ଗୋଟାଏ ବେଳେ ଲଘୁଚାପ କାକିନାଡାର ୧୦୩୫ କିଲୋମିଟର ଦକ୍ଷିଣ ପୂର୍ବ ତଥା ଗୋପାଳପୁର ଠାରୁ ୯୨୨ କିଲୋମିଟର ଦୂରରେ ଭୀଷଣକାୟ ଅବପାତର ରୂପ ନେଇସାରିଛି। ବର୍ତମାନ ଏହା ଘଣ୍ଟାପ୍ରତି ୩.୬ କିଲୋମିଟର ବେଗରେ ଉତ୍ତର ପୂର୍ବ ଦିଗ ଅର୍ଥାତ୍‌ ମିଆଁମାର ଉପକୂଳ ଆଡ଼କୁ ମୁହାଁଇଛି। ଏହାର ଉପର ଭାଗରେ ବାୟୁ ନିର୍ଗତ ହେବା ପାଇଁ ପରିସ୍ଥିତି କ୍ରମଶଃ ଅନୁକୂଳ ରହୁଥିବା ପରିପ୍ରେକ୍ଷୀରେ ଏହା ଅଧିକ ଘନୀଭୂତ ଓ ଭୀଷଣକାୟ ରୂପ ଧାରଣ କରିବା ଲାଗି ଶକ୍ତି ଯୋଗାଡ କରୁଛି। ୨୪ ଘଣ୍ଟା ମଧ୍ୟରେ ଏହା ବାତ୍ୟା ରୂପ ନେଇପାରେ।
ଡ. ପଶୁପାଳକଙ୍କ ପୂର୍ବାନୁମାନ କହୁଛି, ସମ୍ଭାବ୍ୟ ବାତ୍ୟା ମିଆଁମାର ଉପକୂଳରେ ପହଞ୍ଚିବା ପରେ ନିର୍ଦିଷ୍ଟ କେଉଁ ଆଡକୁ ଗତି କରିବ, ତାହା ଏବେ ଠାରୁ କହିବା ମୁସ୍କିଲ। ତେବେ ଏ କ୍ଷେତ୍ରରେ ଦୁଇଟି ସମ୍ଭାବନା ରହିଛି। ପ୍ରଥମ ସମ୍ଭାବନା ହେଉଛି, ମିଆଁମାର ଉପକୂଳ କଡେ କଡେ ବାତ୍ୟା ଉତ୍ତର ପଶ୍ଚିମ ଦିଗକୁ ଗତି କରି ବଙ୍ଗଳାଦେଶ ଆଡକୁ ଯାଇପାରେ। ଯଦି ଏହା ହୁଏ, ତେବେ ୨୭ ତାରିଖରେ ଏହା ଭୀଷଣକାୟ ବାତ୍ୟା ରୂପ ଧାରଣ କରି ସ୍ଥଳ ଭାଗକୁ ଛୁଇଁବା ସମ୍ଭାବନା ରହିଛି। 
ଦ୍ୱିତୀୟ ସମ୍ଭାବନା ସଂପର୍କରେ ଡ. ପଶୁପାଳକଙ୍କ ଆକଳନ କହୁଛି, ମିଆଁମାରରେ ପହଞ୍ଚିବା ପରେ ବାତ୍ୟା ଦିଗ ବଦଳାଇ ଓଡ଼ିଶା ମୁହାଁ ବଙ୍ଗୋପସାଗର ଆଡ଼କୁ ମାଡ଼ି ଅସମ୍ଭବ ନୁହେଁ। ଯଦି ଏମିତି ହୁଏ, ତେବେ ବାତ୍ୟା ମୁହଁ ମୋଡି ଓଡ଼ିଶା ଉପକୂଳ ଆଡକୁ ମୁହାଁଇବ ଓ ୨୭ ତାରିଖରେ ଗୋପାଳପୁର ଠାରୁ ୩୨୦ କିଲୋମିଟର ଦୂର ସମୁଦ୍ରରେ କେନ୍ଦ୍ରୀଭୂତ ହେବା ସମ୍ଭାବନା ଅଧିକ। ତା’ ପରେ ଏହା ଭୀଷଣ ଘୂର୍ଣ୍ଣିବାତ୍ୟା ବା ଚକ୍ରବାତ ରୂପ ନେବ। ଏବଂ ଓଡ଼ିଶାର ଉପକୂଳ କୂଳେ କୂଳେ ଗତି କରି ବଙ୍ଗଳାଦେଶ ଆଡ଼କୁ ମୁହାଁଇବା ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳ ଓ ଉତ୍ତର ଓଡ଼ିଶାରେ ମୁଖ୍ୟତଃ ବର୍ଷା ହେବ। ତେବେ ଓଡ଼ିଶା ଉପକୂଳରେ ଏହି ବାତ୍ୟା ମାଡ଼ ସମ୍ଭାବନା କ୍ଷୀଣ ବୋଲି ଡ. ପଶୁପାଳକ ପୂର୍ବାନୁମାନ କରୁଛନ୍ତି।
ଓଡ଼ିଶା ଆଡ଼କୁ ମୁହାଁଇବା ନେଇ ସୃଷ୍ଟି ହୋଇଥିବା ସମ୍ଭାବନାର କାରଣ ସଂପର୍କରେ ସୂଚନା ଦେଇ ଡ. ପଶୁପାଳକ କହିଛନ୍ତି, ଯଦିବା ଉତ୍ତର ବଙ୍ଗୋପସାଗରରେ ସମୁଦ୍ର ପତ୍ତନର ଠିକ୍‌ ଉପରି ଭାଗରେ ଉତ୍ତର-ପଶ୍ଚିମ ଦିଗରୁ ପବନ ବହୁଛି, ସମୁଦ୍ରର ଉପରିଭାଗରେ କିନ୍ତୁ ପୂର୍ବା ପବନ ବହୁଛି। ଏଣୁ ବାତ୍ୟା ଉତ୍ତର-ଉତ୍ତର ପଶ୍ଚିମ ଓ ପରେ ଉତ୍ତର ପଶ୍ଚିମ ଦିଗକୁ ଆସିବାର ସମ୍ଭାବନା ଦେଖା ଦେଉଛି। ଆସନ୍ତାକାଲି ଏ ନେଇ ଚିତ୍ର ଅଧିକ ସ୍ପଷ୍ଟ ହେବ। 

No comments:

Post a Comment